ନାରୀ ସେ ଜନନୀ ନାରୀ ହିଁ ଭଗିନୀ
ନାରୀ ପୁଣି ଅର୍ଦ୍ଧାଙ୍ଗିନୀ ;
କନ୍ୟା ରୂପେ ନାରୀ ସ୍ଥିତି ଜଗତରେ
ଅମୃତର ସ୍ରୋତସ୍ବିନୀ ।
ନାରୀଠୁ ଆରମ୍ଭ ନାରୀ ଠାରେ ଶେଷ
ଏ ସାରା ଧରା ଆକାଶ ;
ନାରୀ ପାଇଁ ଆଜି ଜନମି ଲେଖୁଛି
ନାରୀର ଚରିତ ଶୀର୍ଷ ।
ନାରୀ ଦିବସରେ ଦୁଇ ପଦ ଆଜି
କହିବି ସେ ନାରୀ ପାଇଁ ;
ଯେଉଁ ନାରୀ ଲାଗି ବିଶ୍ବର ଆରମ୍ଭ
ଜଗତ କଲ୍ୟାଣ ପାଇଁ ।
ମାଆଟିଏ ହୋଇ ନାରୀର ରୂପରେ
ସନ୍ତାନ ଜନମେ ସିଏ ;
ଯାହା ହାତ ଧରି ସଂସାର ଭିତରେ
ବାଟ ଚାଲେ ଶିଶୁଟିଏ ।
ଜନନୀ ହୋଇଣ ଶିଶୁ ଅଧରରେ
ବୁକୁ ଚିରି କ୍ଷୀର ଦେଇ ;
ନିଜ ଜୀବନକୁ ଜାଳିଦିଏ ନାରୀ
ଅନ୍ୟେ ଓଠ ହସ ପାଇଁ ।
ସମୟ ସ୍ରୋତରେ ଜୀବନରେ ଯେବେ
ଆସେ ଦୁଃଖ ଝଡ ଝଞ୍ଜା ;
ଦୁର୍ଗତି ନାଶିନୀ ସେହି ମାଆ ପୁଣି
ଖୋଲଇ ଶକ୍ତିର ପଞ୍ଝା ।
ଭଗିନୀ ରୂପରେ ସେହି ନାରୀ ପୁଣି
ଆସେ କେତେ ଖୁସି ନେଇ ;
ସଭିଙ୍କ ଦୁଃଖରେ ହସ ଭରିଦିଏ
ନିଜର ଦୁଃଖ ଲୁଚେଇ ।
କେମିତି କହିବି ଭଉଣୀର କଥା
ଈଶ୍ବରୀର ସମ ସିଏ ;
କହିବା ଆଗରୁ ମନ କଥା ବୁଝି
ସବୁ ସେ ଯୋଗାଇ ଦିଏ ।
କିଶୋରୀ ରୂପରେ ସଭିଙ୍କ ଜୀବନେ
ଆସେ ନାରୀ ପତ୍ନୀ ହୋଇ ;
ଜୀବନର ଅଙ୍କ ସମତୁଲ କରେ
ଅର୍ଦ୍ଧାଙ୍ଗିନୀ ଆମ ହୋଇ ।
ସମୟ ସାଥିରେ ହାରିଗଲେ ଆମେ
ଗଢି ତୋଳେ ମନେ ଆଶା ;
ସ୍ନେହ ପ୍ରେମ ଦେଇ ଜୀବନ ଡାଳରେ
ତୋଳେ ସମ୍ପର୍କର ବସା ।
ସେହି ନାରୀ ପୁଣି କନ୍ୟାର ରୂପରେ
ଆସିଥାଏ ଲକ୍ଷ୍ମୀ ହୋଇ ;
ଛୋଟ କୁଡିଆଟି ଖୁସି ବରଷାରେ
ହରସେ କନ୍ୟାଟି ପାଇଁ ।
ଜୀବନେ ଆସଇ ଦୁଃଖର ଜୁଆର
ଭାଙ୍ଗିଯେ ସୁଖର ସୁଅ ;
ସବୁ ଦୁଃଖ ଲାଗେ ସୁଃଖର ସମାନ
ଦେଖିଲେ ଦୁହିତା ମୁହଁ ।
ସୃଷ୍ଟିର ଆରମ୍ଭ ଯା'ହାତରେ ହୁଏ
ତା'ର ଟିକେ ଖୁସି ପାଇଁ ;
ଦୁଇପଦ ଆଉ ଲେଖିବି ଶେଷରେ
ନାରୀର ସମ୍ମାନ ପାଇଁ ।
ପ୍ରତ୍ୟେକଟି ନାରୀ ତାଙ୍କ ଜୀବନରେ
ଚାହୁଁ ଥାନ୍ତି ସ୍ନେହ ପ୍ରେମ ;
ମନ କଥା ଥରେ ବୁଝସେ ନାରୀର
କର ନାହିଁ ଅପମାନ ।
ସମ୍ପତି ଠୁ ବଳି ସମ୍ମାନ ଲୋଡୁଛି
ଆଜିର ନାରୀ ସମାଜ ;
କଷଣ ନଦେଇ ନାରୀ ହୃଦୟରେ
ମନ କଥା ତାର ବୁଝ ।
ସର୍ବେଶ୍ବର ସାହୁ
ଧାମନଗର-ଭଦ୍ରକ-ଓଡିଶା


0 Comments